Sunday 1 January 2023

ଶରଣ ପଞ୍ଜର

ଅସହାୟ ହୋଇ ପାଣ୍ଡଵ ଘରଣୀ ଉର୍ଦ୍ଧ୍ୱେ ତୋଳିଲା ହେ ବେନି ଭୁଜ କୃପା ପାରାବାର ସହନ୍ତ କିପରି ତୁମ୍ଭେ ଯେ ଜଳୁ ଉଦ୍ଧାରିଲ ଗଜ [୧] ପାଷାଣୀ ହୋଇ ଗୌତମ ନାରୀ ତୋ ଚଲା ସରଣୀକୁ ଆଶ୍ରା କଲା ତୋର ପାଦଧୂଳି ମୁକତି ପଶରା ସେ ପାଦପଦ୍ମ ଲାଗି ନିସ୍ତରିଲା [୨] ଭୋକ ବିକଳରେ ବନ୍ଧୁ ମହାନ୍ତି ଟଙ୍କତୋରାଣିରେ ବଞ୍ଚେ ଦିନ ଭକ୍ତ ଉଧାରଣ ବଳିୟାର ଭୁଜ ଆପଣା ହସ୍ତେ ଭୁଞ୍ଜାଇଲୁ ଅନ୍ନ [୩] କାତର ଆତୁର ଦେବକୀ ମାତା ସାତ ସାତଟା ଗର୍ଭ ଥିଲା ଟେକି ଜନ୍ମି ବନ୍ଦୀଘରେ ଆରତ୍ତ ନାଶନ ଆର୍ତତ୍ରାଣ ଉଦ୍ଧରିଲୁ ନୀରୀମାଖି [୪] ବଡ଼ ଦୀନହୀନ ରଘୁ ଅରକ୍ଷିତ ତୋର ବିଶ୍ୱାସେ ଖାଇଲା ବିଶ ଶରଣ ପଞ୍ଜର ଭକତ ତାରଣ ବଞ୍ଚାଇ ରଖିଲ ହେ ଜଗଦୀଶ [୫ ] ବାଳ ପ୍ରହଲ୍ଲାଦ ଆନ ନ ଜାଣଇ ସେ ସଦା ହରି ନାରାୟଣ ଜପେ ଯହିଁ ତୋ ନାମ ତହିଁ ତୋ ବାସ ପିତାର ହୃଦ ବିଦାରିଲୁ କୋପେ [୬ ] ଆକୁଳ ବିକଳ ଡାକକୁ ଶ୍ରୀହରି ସର୍ବଦା ଶୁଣୁ ଥାଉ କାନ ଡେରି ତୁ ଯାହାକୁ ରଖୁ କି ଅବା ମାରେ କୃପାସିନ୍ଧୁ ଲୀଳା ତୋ ଅମୃତ ପରି [୭ ] ଅବଳାଠାରୁ ମୁଁ ହୀନ ମହାବାହୁ ଧାଇ ତୋ ପାଦପଦ୍ମ ବଞ୍ଚେ ଦିନ ମରଣ କାଳରେ ଥିବ ଦୃଶ୍ୟପଟେ ପ୍ରଭୁ ହେ ଏହି କଥାରେ ମୋ ମନ [୮]

No comments:

Post a Comment