Saturday 3 September 2022

ସେ ଯେଉଁ ଭକ୍ତିରେ ବୈଷ୍ଣବ ବୁଡ଼େ

ସେ ଯେଉଁ ଆତୁରେ ତଟିନୀ ଧାଏଁ ମହୋଦଧିରେ ମିଶି ଯିବା ପାଇଁ ସେ ଭାବେ ଆତୁର ହେଲେ ପ୍ରାଣ ଭାବ ବିନୋଦିଆ ନ ପାରେ ରହି [୧] ସେ ଯେଉଁ ଅଧିରେ କୋଇଲି ଗାଏ ବସନ୍ତ ସଂଗୀତମୟ କରିବା ପାଇଁ ସେ ଭାବେ ଅଧିରେ ହେଲେ ପ୍ରାଣ ଭାବ ବିନୋଦିଆ ନ ପାରେ ରହି [୨] ସେ ଯେଉଁ ମମତାରେ ଜନନୀ ଚାହେଁ ପ୍ରାଣଠୁଁ ବଳି ସନ୍ତାନ ମୁଖକୁ ଚାହିଁ ସେ ଭାବେ ଅଧୀର ହେଲେ ପ୍ରାଣ ଭାବ ବିନୋଦିଆ ନ ପାରେ ରହି[୩] ସେ ଯେଉଁ ଅପେକ୍ଷା କରେ ନଳିନୀ ଉଷାରେ ସୂର୍ଯ୍ୟଙ୍କୁ ଭେଟିବା ପାଇଁ ସେ ଭାବେ ଅଧୀର ହେଲେ ପ୍ରାଣ ଭାବ ବିନୋଦିଆ ନ ପାରେ ରହି[4] ସେ ଯେଉଁ ଅପେକ୍ଷା କରେ କୁମୁଦ ଦିନାନ୍ତେ ଚନ୍ଦ୍ରକୁ ଭେଟିବା ପାଇଁ ସେ ଭାବେ ଅଧୀର ହେଲେ ପ୍ରାଣ ଭାବ ବିନୋଦିଆ ନ ପାରେ ରହି [୫ ] ସେ ଯେଉଁ ଝୁରିବା ଝୁରେ ପତିପ୍ରାଣା ପତି ତାର ବିଦେଶେ ରହିଲେ ଯାଇଁ ସେ ଭାବେ ଅଧୀର ହେଲେ ପ୍ରାଣ ଭାବ ବିନୋଦିଆ ନ ପାରେ ରହି [୬ ] ସେ ଯେଉଁ ହମ୍ବା ରଡି କରେ ବତ୍ସା ଗୋଧୂଳୀରେ ଗାଈ ବାଟକୁ ଚାହିଁ ସେ ଭାବେ ଅଧୀର ହେଲେ ପ୍ରାଣ ଭାବ ବିନୋଦିଆ ନ ପାରେ ରହି [୭ ] ସେ ଯେଉଁ ବିକଳ ଶ୍ୱାସରୋଗୀ ମୁକ୍ତ ପବନକୁ ଭେଟିବା ପାଇଁ ସେ ଭାବେ ଅଧୀର ହେଲେ ପ୍ରାଣ ଭାବ ବିନୋଦିଆ ନ ପାରେ ରହି [୮] ସେ ଯେଉଁ ଭରଷା ପାଏ ଅନ୍ଧ ହାତେ ବାଡ଼ି ଖଣ୍ଡେ ଦେଲେ ଦେଇ ସେ ଭାବେ ଅଧୀର ହେଲେ ପ୍ରାଣ ଭାବ ବିନୋଦିଆ ନ ପାରେ ରହି [9] ସେ ଯେଉଁ ତୃଷା ଲାଗେ ତୃଷାର୍ତ୍ତେ ଶୀତଳ ଜଳ ଆଞ୍ଜୁଳାଏ ପାଇଁ ସେ ଭାବେ ଅଧୀର ହେଲେ ପ୍ରାଣ ଭାବ ବିନୋଦିଆ ନ ପାରେ ରହି[୧୦] ସେ ଯେଉଁ ପ୍ରତୀକ୍ଷା କରେ ଜନନୀ ଉଦରସ୍ତ ସନ୍ତାନ ମୁଖ ଦର୍ଶନ ପାଇଁ ସେ ଭାବେ ଅଧୀର ହେଲେ ପ୍ରାଣ ଭାବ ବିନୋଦିଆ ନ ପାରେ ରହି[11] ସେ ଯେଉଁ ପାଗଳାମି ପ୍ରେମିକର ପ୍ରଥମ ପ୍ରେମକୁ ଭେଟିବା ପାଇଁ ସେ ଭାବେ ଅଧୀର ହେଲେ ପ୍ରାଣ ଭାବ ବିନୋଦିଆ ନ ପାରେ ରହି[୧୨ ] ସେ ଯେଉଁ ଭକ୍ତିରେ ବୈଷ୍ଣବ ବୁଡ଼େ ନଗର ସଂକୀର୍ତ୍ତନେ ନାଚିବା ପାଇଁ ସେ ଭାବେ ଅଧୀର ହେଲେ ପ୍ରାଣ ଭାବ ବିନୋଦିଆ ନ ପାରେ ରହି [୧୩ ]

No comments:

Post a Comment