Thursday, 26 June 2025
ରଥ ଯାତ୍ରା 27-06-2025
ପୁରୀ ରଥ ଯାତ୍ରା 2025
ନୟନ ଖୋଲିଦେଲେ ଜଗନ୍ନାଥ ଚକାଡୋଳା
ନୟନ ବୁଜିଦେଲେ ଜଗନ୍ନାଥ ଅନନ୍ତ ଶୟନ
କର୍ଣ୍ଣ ଡେରି ଶୁଣିଲେ ଜଗନ୍ନାଥ ମୁରଲୀ ସ୍ଵନ
କର୍ଣ୍ଣ ବଧିରକୁ ଜଗନ୍ନାଥ ସୂର୍ଯ୍ୟ ଚନ୍ଦ୍ର ନୟନ [1]
ଜିଭରେ ଚାଖିଲେ ଜଗନ୍ନାଥ ନାମ ଅମୃତ
ଜିଭ ନ ଲାଗିଲେ ଜଗନ୍ନାଥ ଜପ ଅଜପା
ସ୍ପର୍ଶ କଲେ ଜଗନ୍ନାଥ ତ୍ରିବେଣୀ ସଙ୍ଗମ
ଅସ୍ପୁଶ୍ୟ ଜାତିକୁ ଜଗନ୍ନାଥ ମାଆ ବାପା [2]
ମନନ କଲେ ଜଗନ୍ନାଥ ମୋହନ ବଂଶୀ
ମନ ମାରିଦେଲେ ଜଗନ୍ନାଥ ପୂଣ୍ୟ ତୀର୍ଥ
ପାଦ ଚଳିଲେ ଜଗନ୍ନାଥ ବାଇଶି ପାହାଚ
ଅଚଳ ହୋଇଲେ ଜଗନ୍ନାଥ ହୃଦୟ ରଥ [3]
ଭାବରେ ଚିନ୍ତିଲେ ଜଗନ୍ନାଥ କାଳି ଦଳା
ଅଭାବରେ ଥିଲେ ଜଗନ୍ନାଥ କାଠ ଗଣ୍ଡି
ଦେବତାଙ୍କୁ ଶ୍ରୀଜଗନ୍ନାଥ ଅତ୍ୟନ୍ତ ଦୁର୍ଲଭ
ନର ଲଭେ ଜଗନ୍ନାଥ କୃପା କଲେ ଚଣ୍ଡୀ [4]
ଅଜ୍ଞାନ ଅନ୍ଧାରରେ ଜଗନ୍ନାଥ ସଂସାର
ଜ୍ଞାନ ଆଲୋକରେ ଜଗନ୍ନାଥ ପଦ୍ମନାଭ
ଯୋଗୀ ଚିତ୍ତରେ ଜଗନ୍ନାଥ ବନମାଳୀ
ଅଯୋଗା ଉଦ୍ୟମକୁ ଜଗନ୍ନାଥ ଦୁର୍ଲଭ [5]
ଭକ୍ତ ବିଚାରେ ଜଗନ୍ନାଥ ଗୀତଗୋବିନ୍ଦ
ନାସ୍ତିକ ବିଚାରଇ ଜଗନ୍ନାଥ ଅଧାଗଢା
ଜଟିଳ ବିଚାରେ ଜଗନ୍ନାଥ ଅପଲକ
ସରଳ ବିଚାରେ ଜଗନ୍ନାଥ ସେବତୀ ଚୁଡା [6]
Subscribe to:
Post Comments (Atom)

No comments:
Post a Comment