Thursday 13 June 2024

କୈବଲ୍ୟ ଭିକ୍ଷା

ହେ ଗୋବିନ୍ଦ ହେ ଗୋପାଳ ଛୋଟ ମାଗୁଣିଟିଏ ତୁମ୍ଭରି ଭକତଙ୍କ ପିଣ୍ଢାରେ ଟିକିଏ ଜାଗା ଦେବ ହେ ଗୋବିନ୍ଦ ଯେ ଯାଏ ଏ ପିଣ୍ଡରେ ପ୍ରାଣ ଅଛି ହରି ନାମ ସଂକୀର୍ତ୍ତନ ଏହି କାନକୁ ଶୁଭୁଥିବ [୧] ହେ ଗୋବିନ୍ଦ ହେ ଗୋପାଳ ଛୋଟ ମାଗୁଣିଟିଏ ତୁମ୍ଭ ପାଦପଦ୍ମରେ ମୋ ଚଞ୍ଚଳ ମନ ସ୍ଥିର ହେବ ହେ ଗୋବିନ୍ଦ ଯେ ଯାଏ ଏ ପିଣ୍ଡରେ ପ୍ରାଣ ଅଛି ତୁଳସୀ ବୃକ୍ଷରେ ଏହି ହାତ ଦୁଇ ଜଳ ଢ଼ାଳୁଥିବ [2] ହେ ଗୋବିନ୍ଦ ହେ ଗୋପାଳ ଛୋଟ ମାଗୁଣିଟିଏ ତୁମ୍ଭ ମୋହନ ରୂପ ନେତ୍ର ପଥରେ ଦୃଷ୍ଟି ହେବ ହେ ଗୋବିନ୍ଦ ଯେ ଯାଏ ଏ ପିଣ୍ଡରେ ପ୍ରାଣ ଅଛି ବଂଶୀ ବଦନକୁ ଏହି ଚର୍ମ ଚକ୍ଷୁ ଦୁଇ ଦେଖୁଥିବ [3] ହେ ଗୋବିନ୍ଦ ହେ ଗୋପାଳ ଛୋଟ ମାଗୁଣିଟିଏ ତୁମ୍ଭରି କୃପା ମହୋଦଧିରୁ ଚଳୁଟିଏ ସିଞ୍ଚି ଦେବ ହେ ଗୋବିନ୍ଦ ଯେ ଯାଏ ଏ ପିଣ୍ଡରେ ପ୍ରାଣ ଅଛି ବାମନଙ୍କର କମଣ୍ଡଳୁ ଜଳରେ ପାପ ଧୋଇଯିବ [4] ହେ ଗୋବିନ୍ଦ ହେ ଗୋପାଳ ଛୋଟ ମାଗୁଣିଟିଏ କୃଷ୍ଣ ରୂପକୁ ଦେଖି କୁହ କିଏ ସଂସାର ନ ଭୁଲିବ ହେ ଗୋବିନ୍ଦ ଏ ମାଟିଘଟରେ ପ୍ରାଣଥିଲା ବେଳେ ପଦ୍ମପାଦକୁ ଏ ପତିତ ଥରୁଟିଏ ହାତରେ ଘସିଥିବ [5] ହେ ଗୋବିନ୍ଦ ହେ ଗୋପାଳ ଛୋଟ ମାଗୁଣିଟିଏ ମୋ ମାଗୁଣି ସବୁକୁ କେବେ ବି ଭିଡ ନ ଭାବିବ ପ୍ରାଣୀମାନଙ୍କ ମଧ୍ୟରେ ଅତି ଦୁର୍ଲଭ ଏ ନର ଜନ୍ମ ଦର୍ଶନ ସ୍ପର୍ଶ ଚିନ୍ତନ ବିନା ଜନ୍ମରେ କିବା ଅର୍ଥ ଥିବ [6] ହେ ଗୋବିନ୍ଦ ହେ ଗୋପାଳ ଛୋଟ ମାଗୁଣିଟିଏ ତୁମ୍ଭ ଉଦାର ପଣରେ ଗୃହେ ଅତିଥି ହୋଇଥିବ ହେ ଗୋବିନ୍ଦ ଯେ ଯାଏ ଏ ପିଣ୍ଡରେ ପ୍ରାଣ ଅଛି ମାଟିଖିଆ ତୁଣ୍ଡରେ ଏ ହାତରୁ ଥରେ ଭୁଞ୍ଜିଥିବ [7] ହେ ଗୋବିନ୍ଦ ହେ ଗୋପାଳ ଛୋଟ ମାଗୁଣିଟିଏ ଶାରୀଟିଏ ରାମ ଡାକିବା ଭଳି ଥରେ ଡାକିଦେବ ହେ ଗୋବିନ୍ଦ ଯେ ଯାଏ ଏ ପିଣ୍ଡରେ ପ୍ରାଣ ଅଛି ଅମୃତ ବଚନ ଶୁଣି ଦେହ ପୁଲକିତ ହୋଇଯିବ [୮] ହେ ଗୋବିନ୍ଦ ହେ ଗୋପାଳ ଛୋଟ ମାଗୁଣିଟିଏ ମଳୟ ପବନରେ ପଦ୍ମଭଳି ପ୍ରଭୁ ଝୁଲି ଚାଲୁଥିବ ହେ ଗୋବିନ୍ଦ ଯେ ଯାଏ ଏ ପିଣ୍ଡରେ ପ୍ରାଣ ଅଛି ଅପୂର୍ବ ପହଣ୍ଡି ବିଜେକୁ ଦେଖି ଏ ପ୍ରାଣ ହସୁଥିବ[9] ହେ ଗୋବିନ୍ଦ ହେ ଗୋପାଳ ଛୋଟ ମାଗୁଣିଟିଏ ଗୋବିନ୍ଦ ହେ ଗରୁଡ ପୃଷ୍ଠରୁ ଓହ୍ଲାଇ ଆସୁଥିବ ହେ ଗୋବିନ୍ଦ ଯେ ଯାଏ ଏ ପିଣ୍ଡରେ ପ୍ରାଣ ଅଛି ଲକ୍ଷ୍ମୀନୃସିଂହ ଏକ ସଙ୍ଗେ ଦେଖି ଆଶା ପୁରିଯିବ[10]

No comments:

Post a Comment